ତ୍ରିଲୋଚନ:

ଓଡିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲା ସବୁଠାରୁ ଅତି ପଛୁଆ ଜିଲ୍ଲା ଅଟେ | ସରକାରୀ ଯୋଜନାର ଦୁରୁପଯୋଗ ଯୋଗୁଁ ଗରିବ ଲୋକ ଉପକୃତ ହୋଇପାରୁ ନାହାନ୍ତି | ଛୁଆ ବିକ୍ରି , ଅନାହାର ମୃତ୍ୟୁ , ଦାଦନ ଶ୍ରମିକ ଚାଲାଣ ପାଇଁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଅବିଭକ୍ତ  ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ  ଲୋକେ ଜାଣନ୍ତି | ମହାତ୍ମା ଗାନ୍ଧୀ  ଜାତୀୟ ଗ୍ରାମୀଣ  ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ନ ହେବା , ଚାଷ ଜମିର ଅସମ ବଣ୍ଟନ , ସ୍ଥାନୀୟ ଅଂଚଳରେ ରୋଜଗାର ନିଶ୍ଚିତ ନ ହେବା,  ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଯୋଜନାର ବିଫଳତା ଯୋଗୁଁ  ଆଦିବାସୀ , ଦଳିତ , ଭୂମିହୀନ ପଛୁଆ ବର୍ଗର ପରିବାର ଗୁଡିକ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ବାହାର ରାଜ୍ୟର ଇଟାଭାଟି ଗୁଡିକରେ କାମ କରିଥାନ୍ତି | ବିଶେଷ କରି ବଲାଙ୍ଗୀର ଜିଲ୍ଲା ଓ ଆଖପାଖ ଜିଲ୍ଲାର ଶ୍ରମିକମାନେ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର ବିଶାଖାପାଟନ , ନେଲୋର , ତିରୁପତି , ତେଲେଙ୍ଗାନାର ହାଇଦ୍ରାବାଦ, କରିମନଗର , ରଙ୍ଗରେଡ୍ଡି ,ୟୋଡଗିରି  , ବନଗିରି ,  ଟୁକୁଗୁଡା,ଦୁଂଡିଗଲ , ଅନ୍ନରାମ , ପାଠାନଛେରୁ , ତାମିଲନାଡୁର ଚେନ୍ନାଇ , କର୍ଣ୍ଣାଟକର ବେଙ୍ଗଲୋର ଇତ୍ୟାଦି ଇଟାଭାଟିଗୁଡିକରେ କାମକରିଥାନ୍ତି | 

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରକୁ ଦାଦନ ଶ୍ରମିକର ରାଜଧାନୀ ବୋଲି କୁହାଯାଏ| କାରଣ ଏହିଠାରୁ ରେଳ  ଯୋଗେ ବାହାର ରାଜ୍ୟର ଇଟାଭାଟି ଗୁଡିକକୁ ଶ୍ରମିକ ଚାଲାଣ ହୁଏ | କଣ୍ଟାବାଞ୍ଜି ଓ ବେଲପଡାରେ ବଡ ବଡ ଦଲାଲ ଥିବାରୁ କଣ୍ଟାବାଞ୍ଜିର ଆଖପାଖ ଜିଲ୍ଲାରୁ ଇଟାଭାଟିକୁ ଦାଦନ ଶ୍ରମିକ ଚାଲାଣ  ହୁଏ | ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଁଖାଇ ସମୟରେ ଦଲାଲମାନେ ଶ୍ରମିକମାନଙ୍କୁ ଅଗ୍ରିମ ଟଙ୍କା ଦେବା ଆରମ୍ଭ କରିଥାନ୍ତି | ସେପ୍ଟେମ୍ବର ରୁ ଜାନୁୟାରୀ ମଧ୍ୟରେ ଦାଦନ ୠତୁ ରେ ପ୍ରାୟ 200କୋଟି ର ମାନବ ଚାଲାଣ ବେପାର  ହୋଇଥାଏ | କାର୍ଯ୍ୟକ୍ଷମ ତିନିଜଣ ବ୍ୟକ୍ତି ସମୂହ ତଥା ପରିବାର କୁ ଅଗ୍ରିମ ନବେ ହଜାର ଟଙ୍କା  ଦିଆଯାଏ| ଶ୍ରମିକ  ପିଛା ଯିବାବେଳର ଗସ୍ତ ଖର୍ଚ୍ଚ ବାବଦକୁ ଇଟାଭାଟି ମାଲିକ ପାଞ୍ଚ ହଜାର ଟଙ୍କା ଲେଖାଏଁ  ଦଲାଲକୁ ଦେଇଥାଏ | କିନ୍ତୁ ଶ୍ରମିକଙ୍କୁ ରେଳରେ ଯିବା ବେଳେ ଖାଇବା ଖର୍ଚ ଠିକ ଭାବରେ ଦିଆଯାଏ ନାହିଁ |ଛେଳି , ମେଣ୍ଢା ,ଗାଈ ,ମଈଁଷି ଭଳି ଟ୍ରେନରେ ଭର୍ତି କରି ଅତି ଅମାନବୀୟ ଭାବରେ ଶ୍ରମିକ ଚାଲାଣ ହୋଇଥାଏ | ଯାହାରୀ  ଭଲରେ ଅନେକ ଶ୍ରମିକ , ଶିଶୁ , ମହିଳା ମାନଙ୍କର ଜୀବନ ହାନି ହୋଇଥାଏ | ମାଲିକ ଦେଇଥିବା ଟଙ୍କା ଦଲାଲର ପକେଟକୁ ଯାଇଥାଏ |ଇଟାଭାଟିକୁ ଶ୍ରମିକ ପହଁଚିଲା ପରେ ଅନେକ ସମସ୍ୟାର ସାମ୍ମୁଖୀନ ହୋଇଥାଏ | ଯଥା – ମାଲିକ ଓ ଦଲାଲ ଦ୍ୱାରା ମାରପିଟ ,ଶାରୀରିକ ଓ ମାନସିକ ନିର୍ଯ୍ୟାତନା , ମହିଳା ଶ୍ରମିକଙ୍କୁ ଯୌନଶୋଷଣ,ସ୍ୱାସ୍ଥ୍ୟ ସେବାରେ ଅବହେଳା ,ଗୋତିଶ୍ରମିକ ଭାବରେ ବନ୍ଧକ ରଖିବା, ଶିଶୁ ମାନେ ଶିକ୍ଷା ରୁ ବଂଚିତ ହେବା , ମଜୁରୀ କମ  ମିଳିବା , କାମର ହିସାବ ନ କରିବା,ଦୈନିକ  ଷୋହଳ ଘଣ୍ଟା ଜୋରଜବରସ୍ତ  ବାଧ୍ୟକରି  କାମ କରାଇବା, ନିମ୍ନମାନର ଖାଦ୍ୟ ଖାଇବା ,ଗାଧୋଇବା ଓ ପାନୀୟ ଜଳ ର ଅଭାବ , ବାସପୋଯୋଗୀ ବାସଗୃହ ନ ମିଳିବା |  

ଆନ୍ତଃରାଜ୍ୟ ସ୍ଥାନାନ୍ତରଣଗାମୀ  ଶ୍ରମିକ ଅଧିନିୟମ 1979 ଆଇନ ଯାହାକି ସ୍ଥାନନ୍ତରରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ କୁ ଯାଉ ଥିବା ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇଥାଏ | ଏହି ନିୟମାବଳୀ  ଲେବର କଣ୍ଟାଟର  ଓ ନିଯୁକ୍ତିଦାତାଙ୍କ  ଶ୍ରମିକମାନଙ୍କ ପ୍ରତି ରହିଥିବା  କର୍ତ୍ତବ୍ୟ ଧାର୍ଯ୍ୟ କରେ | ଏହି ନିୟମ ସେଭଳି ପ୍ରତେକ ଲେବର କଣ୍ଟାଟର  ଓ  ସ୍ଥଳବିଶେଷରେ ଲାଗୁ ହେବ | ଯେଉଁଠାରେ ପାଞ୍ଚ ଜଣ ବା ତତୁର୍ଦ୍ଧ୍ବ ସ୍ଥାନାନ୍ତରିତ ଶ୍ରମିକ ଗୋଟିଏ  ବର୍ଷ ଭିତରେ ନିଯୁକ୍ତି ପାଇଥାନ୍ତି | ଏହି  ଆଇନରେ ବ୍ୟବସ୍ଥା ଠିକ ଥିଲେ ମଧ୍ୟ ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ | ଦାଦନ ଶ୍ରମିକର ଦୁଃଖ ନିଯ୍ୟାତନାର ଲାଘବ  ପାଇଁ  1979 ମସିହାରେ  ଆନ୍ତଃ ରାଜ୍ୟ ସ୍ଥାନାନ୍ତରଣଗାମୀ  ଶ୍ରମିକ ଅଧିନିୟମ ସରକାର ଆଣିଲେ | ଦାଦନ ଶ୍ରମିକ ଶୋଷଣର ଶିକାରରୁ ବର୍ତ୍ତି ପାରିଲାନାହିଁ| କିନ୍ତୁ ଶ୍ରମ ବିଭାଗ , ପୋଲିସ ,ମାଲିକ ,ଦଲାଲ ,ରାଜନୈତିକ ନେତା , ଗୁଣ୍ଡା ମାଫିଆଙ୍କ  ଚକ୍ରବ୍ୟୁହରେ ଆଇନଟି ଫସିଗଲା |ଶ୍ରମିକର କିଛି ଲାଭ ହେଲାନାହିଁ |

ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ 2013 ମସିହା  ପୂର୍ବରୁ ଇଟାଭାଟି ଶ୍ରମିକକୁ ହିତାଧିକାରୀ ରୂପେ ନିଆଯାଇ ନ ଥିଲା | ଗତ ତାରିଖ 25/ 09 /2013 ଶ୍ରମିକ ଅଧିକାର ମଂଚ ର ଆହ୍ଵାନକ୍ରମେ ବିଶାଳ ଦାଦନ ଶ୍ରମିକ ସମ୍ମିଳନୀ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀରେ ଇଟାଭାଟି ଦାଦନ ଶ୍ରମିକକୁ  ଏହି କଲ୍ୟାଣ ବୋର୍ଡ ରେ ହିତାଧିକାରୀ ଭାବରେ  ଗ୍ରହଣ କରିବା ପାଇଁ ଦାବୀ କରାଯାଇଥିଲା | ରାଜ୍ୟ ସରକାର ଶ୍ରମିକ ଅଧିକାର ମଂଚ ର ଦାବୀକୁ ଗ୍ରହଣ କରି ଇଟାଭାଟି ଦାଦନ ଶ୍ରମିକକୁ  କଲ୍ୟାଣ ବୋର୍ଡରେ ହିତାଧିକାରୀ ରୂପେ ଗ୍ରହଣ କଲେ | ଏହି କଲ୍ୟାଣ ବୋର୍ଡରେ ସାମିଲ ହେବ ଫଳରେ ଦାଦନ ଶ୍ରମିକ ସମସ୍ୟାର କିଛି ସମାଧାନ ହେବ ବୋଲି ଆଶା କରାଯାଉଥିଲା |କିନ୍ତୁ  ଜିଲ୍ଲା ଶ୍ରମ ବିଭାଗର ଖାମଖିଆଲି ମନବୃତ୍ତି ଓ ଶ୍ରମିକ ବିରୋଧୀ କାର୍ଯ୍ୟ ଯୋଗୁଁ  ଶ୍ରମିକ ପାଇଥିବା ଲେବର କାର୍ଡ ଅକାମି ହୋଇଗଲା | ଯାହାରୀ ଫଳରେ କଲ୍ୟାଣ ବୋର୍ଡରୁ କିଛି ସହାୟତା ପାଇ ପାରିଲାନାହିଁ | ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ବଲାଙ୍ଗୀର ଜିଲ୍ଲାର କୋଭିଡ ମହାମାରୀ ସମୟର ତଥ୍ୟରୁ ଜଣାପଡେ 55435 ଜଣ ନିର୍ମାଣ ଶ୍ରମିକ ପଞ୍ଜିକରଣ ହୋଇଥିବାବେଳେ କୋଭିଡ ମହାମାରୀ ସହାୟତା  ଟ.1500/- ଲେଖାଏଁ  30239 ଜଣ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିଲା | ଶ୍ରମ ବିଭାଗ ର ଅବହେଳା, ଶୋଷଣନୀତି ଓ ଲାଭଖୋର ମନଭାଵ ଯୋଗୁଁ 25196 ଜଣ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ ହେଲେ | ବଲାଙ୍ଗୀର ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ କୋଭିଡ ମହାମାରୀ ସହାୟତା ନିମନ୍ତେ ଟ 83152500/- ଙ୍କା  ଆସିଥିଲା | ବର୍ତ୍ତମାନ ସୁଦ୍ଧା ଅନେକ ନିର୍ମାଣ ଶ୍ରମିକ ସହାୟତା ରାଶି ପାଇନାହାନ୍ତି |କୋରନାର ପ୍ରଥମ ଲହରରେ ଘୋଷଣା କରାଯାଇଥିବା ସହାୟତା ରାଶି ମିଳି ନ ଥିବା ବେଳେ ରାଜ୍ୟ ସରକାର ଆଉଥରେ 1500 ଟଙ୍କା ର ସହାୟତା ଘୋଷଣା କରିଛନ୍ତି | ସରକାରୀ ତଥ୍ୟ ରୁ ଜଣାପଡେ ବର୍ତ୍ତମାନ ସୁଦ୍ଧା 85000 ନିର୍ମାଣ ଶ୍ରମିକ ପଞ୍ଜିକରଣ ହୋଇଛନ୍ତି | ଏହି ଅଂଚଳରୁ ଲକ୍ଷ୍ୟାଧିକ ଶ୍ରମିକ ଓ 30000 ଛୋଟ ଶିଶୁ ପିତା ମାତା ସହିତ  ବାହାର ରାଜ୍ୟ କୁ କାମ କରିବା ପାଇଁ ଯାଉଛନ୍ତି ବୋଲି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଟ୍ରେଡ଼ ୟୁନିଅନ ଦାବୀ କରି ଆସୁଥିଲେ | କିନ୍ତୁ ରାଜ୍ୟ ସରକାର  ତଥା ଜିଲ୍ଲା ପ୍ରଶାସନ ଏତେ ସଂଖ୍ୟା ରେ  ଶ୍ରମିକ ପଳାୟନ  କରୁଛନ୍ତି ବୋଲି ସ୍ୱୀକାର କରୁ ନ ଥିଲେ | ଲାକଡାଉନ ସମୟରେ ସରକାରୀ ତଥ୍ୟ ରୁ ଜଣ ପଡିଲା ବଲାଙ୍ଗୀର ଜିଲ୍ଲାକୁ ଫେରିବା ପାଇଁ 160000 ଶ୍ରମିକ ପଞ୍ଜିକରଣ କରିଥିଲେ | ଅପରପକ୍ଷେ ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗର ସୂଚନା ଅନୁସାରେ ମାତ୍ର 23000 ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ସେଥିରୁ  ଇଟାଭାଟିରେ କାର୍ଯ୍ୟରତ ଶ୍ରମିକ ସଂଖ୍ୟା 11800 ବୋଲି ଦର୍ଶାଇଥିଲେ |

 ଜିଲ୍ଲା ଶ୍ରମ ବିଭାଗ , ବଲାଙ୍ଗୀର ତଥ୍ୟ-:

2016 ମସିହାରେ  544 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 35397 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2017 ମସିହାରେ  582 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 37486 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2018ମସିହାରେ  545 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 34918 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2019ମସିହାରେ  379 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 25843 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2020ମସିହାରେ  49 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 2698 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2021ମସିହାରେ  80 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 8000 ଜଣ ଇଟାଭାଟି ଦାଦନ  ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |

ବଲାଙ୍ଗୀର ଜିଲ୍ଲା ରେ ବିଦ୍ୟାଳୟରେ ଅଧାରୁ ପାଠପଢ଼ା ଛାଡୁ ଥିବା ଛାତ୍ର / ଛାତ୍ରୀଙ୍କ ସ୍ଥିତି  ସଙ୍ଗୀନ ଅଟେ | ପ୍ରାଥମିକ ସ୍ଥରରେ 6.53%. ଉଚ୍ଚପ୍ରାଥମିକ ରେ 9.23%,ମାଧ୍ୟମିକ ରେ 4.23% ଦାଦନ ଓ ଦରିଦ୍ର ଯୋଗୁଁ ଅଧାରୁ ଛାତ୍ର ଓ ଛାତ୍ରୀମାନେ ପାଠପଢା  ଛାଡ଼ୁଛନ୍ତି   | 

ବଲାଙ୍ଗୀର ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା   ତଥ୍ୟ ଅନୁସାରେ -:

ମହାତ୍ମା ଗାନ୍ଧୀ  ଜାତୀୟ ଗ୍ରାମୀଣ  ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ  350000 ଶ୍ରମିକ ପଞ୍ଜିକରଣ କରିଥିବାବେଳେ କୋଭିଡ ମହାମାରୀ ସମୟରେ 250000 ଶ୍ରମିକଙ୍କୁ କାମଯୋଗାଇଦିଆଯାଇଛି | ଏହି ଯୋଜନା  ରେ ବର୍ଷକୁ 350 ରୁ 360 କୋଟି ଖର୍ଚ୍ଚ ହେଉଛି | ବର୍ଷକୁ ବଲାଙ୍ଗୀର ଜିଲ୍ଲାରେ ସରକାରୀ ଆନୁଦାନ 3000 କୋଟି ଖର୍ଚ୍ଚ ହେଉଅଛି | ଏଥିରୁ  20% ଭାଗ ଶ୍ରମିକଙ୍କ ପାଖକୁ ଆସୁନାହିଁ |ଏହି  ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଖପ୍ରାଖୋଲ , ବେଲପଡା , ପାଟଣାଗଡ , ତୁରେକେଲା , ମୁରିବାହାଲ , ବଙ୍ଗୋମୁଣ୍ଡା , ଟିଟିଲାଗଡ ମାନଙ୍କରେ ଶ୍ରମିକ ଅଧିକାର ମଂଚ କାର୍ଯ୍ୟରତ | ଶ୍ରମିକମାନଂକର ନ୍ୟାର୍ଯ୍ୟ ଅଧିକାର ଓ ଶ୍ରମ ଆଇନ ସମ୍ପର୍କିତ ସଚେତନତା ପାଇଁ ସଂକଳ୍ପବଦ୍ଧ  ଅଟେ |

ଭାରତ ର ସମ୍ବିଧାନ ର ଧାରା 23 ମାନବ ଚାଲାଣ ଏଵଂ ବାଧ୍ୟ ବାଧ୍ୟକତା କାମକରାଇବା ଏକ ଦଣ୍ଡନୀୟ ଅପରାଧ ଅଟେ |କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଖୋଲାଖୋଲି ଭାବରେ ଉଲ୍ଲଘଂନ କରାଯାଇ  ବେଆଇନ ମାନବ ଚାଲାଣ କରାଯାଉଅଛି |  ସମ୍ବିଧାନର ଧାରା 19 ଓ 21 ଅନୁଯାୟୀ  ସମଗ୍ର ଭାରତରେ ମୁକ୍ତଭାବେ ବିଚରଣ , ବସବାସ , ଜୀବିକା ନିର୍ବାହ କରି ବଂଚିବାର ଅଧିକାର ଦେଇଅଛି |ଭାରତର ଯେକୌଣସି ରାଜ୍ୟକୁ ଯାଇ କାମ କରି ପାରିବୁ | କେହି ବାଧା ଦେଇପାରିବେ ନାହିଁ  |ଏହା ଆମର ସାମ୍ବିଧାନିକ ଅଧିକାର | 

Author

  • त्रिलोचन, ओडिशा के बलांगीर ज़िले से हैं और सामाजिक परिवर्तन शाला से जुड़ी हैं। वह ज़िन्दाबाद संगठन के साथ जुड़कर स्थानीय मुद्दों पर काम कर रहे हैं। पेशे से वकील, वह क्षेत्र में कानूनी प्रशिक्षण का आयोजन करते हैं; स्थानीय समुदायों को कानूनी सहायता प्रदान करता है और राज्य और राष्ट्रीय स्तर के मंचों पर उनके मुद्दों का प्रतिनिधित्व करते हैं।

    View all posts

Leave a Reply

Designed with WordPress

Discover more from युवानिया ~ YUVANIYA

Subscribe now to keep reading and get access to the full archive.

Continue reading