ତ୍ରିଲୋଚନ:
ଓଡିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲା ସବୁଠାରୁ ଅତି ପଛୁଆ ଜିଲ୍ଲା ଅଟେ | ସରକାରୀ ଯୋଜନାର ଦୁରୁପଯୋଗ ଯୋଗୁଁ ଗରିବ ଲୋକ ଉପକୃତ ହୋଇପାରୁ ନାହାନ୍ତି | ଛୁଆ ବିକ୍ରି , ଅନାହାର ମୃତ୍ୟୁ , ଦାଦନ ଶ୍ରମିକ ଚାଲାଣ ପାଇଁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଅବିଭକ୍ତ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଲୋକେ ଜାଣନ୍ତି | ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ନ ହେବା , ଚାଷ ଜମିର ଅସମ ବଣ୍ଟନ , ସ୍ଥାନୀୟ ଅଂଚଳରେ ରୋଜଗାର ନିଶ୍ଚିତ ନ ହେବା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଯୋଜନାର ବିଫଳତା ଯୋଗୁଁ ଆଦିବାସୀ , ଦଳିତ , ଭୂମିହୀନ ପଛୁଆ ବର୍ଗର ପରିବାର ଗୁଡିକ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ବାହାର ରାଜ୍ୟର ଇଟାଭାଟି ଗୁଡିକରେ କାମ କରିଥାନ୍ତି | ବିଶେଷ କରି ବଲାଙ୍ଗୀର ଜିଲ୍ଲା ଓ ଆଖପାଖ ଜିଲ୍ଲାର ଶ୍ରମିକମାନେ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର ବିଶାଖାପାଟନ , ନେଲୋର , ତିରୁପତି , ତେଲେଙ୍ଗାନାର ହାଇଦ୍ରାବାଦ, କରିମନଗର , ରଙ୍ଗରେଡ୍ଡି ,ୟୋଡଗିରି , ବନଗିରି , ଟୁକୁଗୁଡା,ଦୁଂଡିଗଲ , ଅନ୍ନରାମ , ପାଠାନଛେରୁ , ତାମିଲନାଡୁର ଚେନ୍ନାଇ , କର୍ଣ୍ଣାଟକର ବେଙ୍ଗଲୋର ଇତ୍ୟାଦି ଇଟାଭାଟିଗୁଡିକରେ କାମକରିଥାନ୍ତି |
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରକୁ ଦାଦନ ଶ୍ରମିକର ରାଜଧାନୀ ବୋଲି କୁହାଯାଏ| କାରଣ ଏହିଠାରୁ ରେଳ ଯୋଗେ ବାହାର ରାଜ୍ୟର ଇଟାଭାଟି ଗୁଡିକକୁ ଶ୍ରମିକ ଚାଲାଣ ହୁଏ | କଣ୍ଟାବାଞ୍ଜି ଓ ବେଲପଡାରେ ବଡ ବଡ ଦଲାଲ ଥିବାରୁ କଣ୍ଟାବାଞ୍ଜିର ଆଖପାଖ ଜିଲ୍ଲାରୁ ଇଟାଭାଟିକୁ ଦାଦନ ଶ୍ରମିକ ଚାଲାଣ ହୁଏ | ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଁଖାଇ ସମୟରେ ଦଲାଲମାନେ ଶ୍ରମିକମାନଙ୍କୁ ଅଗ୍ରିମ ଟଙ୍କା ଦେବା ଆରମ୍ଭ କରିଥାନ୍ତି | ସେପ୍ଟେମ୍ବର ରୁ ଜାନୁୟାରୀ ମଧ୍ୟରେ ଦାଦନ ୠତୁ ରେ ପ୍ରାୟ 200କୋଟି ର ମାନବ ଚାଲାଣ ବେପାର ହୋଇଥାଏ | କାର୍ଯ୍ୟକ୍ଷମ ତିନିଜଣ ବ୍ୟକ୍ତି ସମୂହ ତଥା ପରିବାର କୁ ଅଗ୍ରିମ ନବେ ହଜାର ଟଙ୍କା ଦିଆଯାଏ| ଶ୍ରମିକ ପିଛା ଯିବାବେଳର ଗସ୍ତ ଖର୍ଚ୍ଚ ବାବଦକୁ ଇଟାଭାଟି ମାଲିକ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦଲାଲକୁ ଦେଇଥାଏ | କିନ୍ତୁ ଶ୍ରମିକଙ୍କୁ ରେଳରେ ଯିବା ବେଳେ ଖାଇବା ଖର୍ଚ ଠିକ ଭାବରେ ଦିଆଯାଏ ନାହିଁ |ଛେଳି , ମେଣ୍ଢା ,ଗାଈ ,ମଈଁଷି ଭଳି ଟ୍ରେନରେ ଭର୍ତି କରି ଅତି ଅମାନବୀୟ ଭାବରେ ଶ୍ରମିକ ଚାଲାଣ ହୋଇଥାଏ | ଯାହାରୀ ଭଲରେ ଅନେକ ଶ୍ରମିକ , ଶିଶୁ , ମହିଳା ମାନଙ୍କର ଜୀବନ ହାନି ହୋଇଥାଏ | ମାଲିକ ଦେଇଥିବା ଟଙ୍କା ଦଲାଲର ପକେଟକୁ ଯାଇଥାଏ |ଇଟାଭାଟିକୁ ଶ୍ରମିକ ପହଁଚିଲା ପରେ ଅନେକ ସମସ୍ୟାର ସାମ୍ମୁଖୀନ ହୋଇଥାଏ | ଯଥା – ମାଲିକ ଓ ଦଲାଲ ଦ୍ୱାରା ମାରପିଟ ,ଶାରୀରିକ ଓ ମାନସିକ ନିର୍ଯ୍ୟାତନା , ମହିଳା ଶ୍ରମିକଙ୍କୁ ଯୌନଶୋଷଣ,ସ୍ୱାସ୍ଥ୍ୟ ସେବାରେ ଅବହେଳା ,ଗୋତିଶ୍ରମିକ ଭାବରେ ବନ୍ଧକ ରଖିବା, ଶିଶୁ ମାନେ ଶିକ୍ଷା ରୁ ବଂଚିତ ହେବା , ମଜୁରୀ କମ ମିଳିବା , କାମର ହିସାବ ନ କରିବା,ଦୈନିକ ଷୋହଳ ଘଣ୍ଟା ଜୋରଜବରସ୍ତ ବାଧ୍ୟକରି କାମ କରାଇବା, ନିମ୍ନମାନର ଖାଦ୍ୟ ଖାଇବା ,ଗାଧୋଇବା ଓ ପାନୀୟ ଜଳ ର ଅଭାବ , ବାସପୋଯୋଗୀ ବାସଗୃହ ନ ମିଳିବା |
ଆନ୍ତଃରାଜ୍ୟ ସ୍ଥାନାନ୍ତରଣଗାମୀ ଶ୍ରମିକ ଅଧିନିୟମ 1979 ଆଇନ ଯାହାକି ସ୍ଥାନନ୍ତରରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ କୁ ଯାଉ ଥିବା ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇଥାଏ | ଏହି ନିୟମାବଳୀ ଲେବର କଣ୍ଟାଟର ଓ ନିଯୁକ୍ତିଦାତାଙ୍କ ଶ୍ରମିକମାନଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ଧାର୍ଯ୍ୟ କରେ | ଏହି ନିୟମ ସେଭଳି ପ୍ରତେକ ଲେବର କଣ୍ଟାଟର ଓ ସ୍ଥଳବିଶେଷରେ ଲାଗୁ ହେବ | ଯେଉଁଠାରେ ପାଞ୍ଚ ଜଣ ବା ତତୁର୍ଦ୍ଧ୍ବ ସ୍ଥାନାନ୍ତରିତ ଶ୍ରମିକ ଗୋଟିଏ ବର୍ଷ ଭିତରେ ନିଯୁକ୍ତି ପାଇଥାନ୍ତି | ଏହି ଆଇନରେ ବ୍ୟବସ୍ଥା ଠିକ ଥିଲେ ମଧ୍ୟ ପ୍ରକୃତରେ କାର୍ଯ୍ୟକାରୀ ହେଉନାହିଁ | ଦାଦନ ଶ୍ରମିକର ଦୁଃଖ ନିଯ୍ୟାତନାର ଲାଘବ ପାଇଁ 1979 ମସିହାରେ ଆନ୍ତଃ ରାଜ୍ୟ ସ୍ଥାନାନ୍ତରଣଗାମୀ ଶ୍ରମିକ ଅଧିନିୟମ ସରକାର ଆଣିଲେ | ଦାଦନ ଶ୍ରମିକ ଶୋଷଣର ଶିକାରରୁ ବର୍ତ୍ତି ପାରିଲାନାହିଁ| କିନ୍ତୁ ଶ୍ରମ ବିଭାଗ , ପୋଲିସ ,ମାଲିକ ,ଦଲାଲ ,ରାଜନୈତିକ ନେତା , ଗୁଣ୍ଡା ମାଫିଆଙ୍କ ଚକ୍ରବ୍ୟୁହରେ ଆଇନଟି ଫସିଗଲା |ଶ୍ରମିକର କିଛି ଲାଭ ହେଲାନାହିଁ |
ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ 2013 ମସିହା ପୂର୍ବରୁ ଇଟାଭାଟି ଶ୍ରମିକକୁ ହିତାଧିକାରୀ ରୂପେ ନିଆଯାଇ ନ ଥିଲା | ଗତ ତାରିଖ 25/ 09 /2013 ଶ୍ରମିକ ଅଧିକାର ମଂଚ ର ଆହ୍ଵାନକ୍ରମେ ବିଶାଳ ଦାଦନ ଶ୍ରମିକ ସମ୍ମିଳନୀ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀରେ ଇଟାଭାଟି ଦାଦନ ଶ୍ରମିକକୁ ଏହି କଲ୍ୟାଣ ବୋର୍ଡ ରେ ହିତାଧିକାରୀ ଭାବରେ ଗ୍ରହଣ କରିବା ପାଇଁ ଦାବୀ କରାଯାଇଥିଲା | ରାଜ୍ୟ ସରକାର ଶ୍ରମିକ ଅଧିକାର ମଂଚ ର ଦାବୀକୁ ଗ୍ରହଣ କରି ଇଟାଭାଟି ଦାଦନ ଶ୍ରମିକକୁ କଲ୍ୟାଣ ବୋର୍ଡରେ ହିତାଧିକାରୀ ରୂପେ ଗ୍ରହଣ କଲେ | ଏହି କଲ୍ୟାଣ ବୋର୍ଡରେ ସାମିଲ ହେବ ଫଳରେ ଦାଦନ ଶ୍ରମିକ ସମସ୍ୟାର କିଛି ସମାଧାନ ହେବ ବୋଲି ଆଶା କରାଯାଉଥିଲା |କିନ୍ତୁ ଜିଲ୍ଲା ଶ୍ରମ ବିଭାଗର ଖାମଖିଆଲି ମନବୃତ୍ତି ଓ ଶ୍ରମିକ ବିରୋଧୀ କାର୍ଯ୍ୟ ଯୋଗୁଁ ଶ୍ରମିକ ପାଇଥିବା ଲେବର କାର୍ଡ ଅକାମି ହୋଇଗଲା | ଯାହାରୀ ଫଳରେ କଲ୍ୟାଣ ବୋର୍ଡରୁ କିଛି ସହାୟତା ପାଇ ପାରିଲାନାହିଁ | ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ବଲାଙ୍ଗୀର ଜିଲ୍ଲାର କୋଭିଡ ମହାମାରୀ ସମୟର ତଥ୍ୟରୁ ଜଣାପଡେ 55435 ଜଣ ନିର୍ମାଣ ଶ୍ରମିକ ପଞ୍ଜିକରଣ ହୋଇଥିବାବେଳେ କୋଭିଡ ମହାମାରୀ ସହାୟତା ଟ.1500/- ଲେଖାଏଁ 30239 ଜଣ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିଲା | ଶ୍ରମ ବିଭାଗ ର ଅବହେଳା, ଶୋଷଣନୀତି ଓ ଲାଭଖୋର ମନଭାଵ ଯୋଗୁଁ 25196 ଜଣ ନିର୍ମାଣ ଶ୍ରମିକ ସହାୟତା ପାଇବାରୁ ବଂଚିତ ହେଲେ | ବଲାଙ୍ଗୀର ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ କୋଭିଡ ମହାମାରୀ ସହାୟତା ନିମନ୍ତେ ଟ 83152500/- ଙ୍କା ଆସିଥିଲା | ବର୍ତ୍ତମାନ ସୁଦ୍ଧା ଅନେକ ନିର୍ମାଣ ଶ୍ରମିକ ସହାୟତା ରାଶି ପାଇନାହାନ୍ତି |କୋରନାର ପ୍ରଥମ ଲହରରେ ଘୋଷଣା କରାଯାଇଥିବା ସହାୟତା ରାଶି ମିଳି ନ ଥିବା ବେଳେ ରାଜ୍ୟ ସରକାର ଆଉଥରେ 1500 ଟଙ୍କା ର ସହାୟତା ଘୋଷଣା କରିଛନ୍ତି | ସରକାରୀ ତଥ୍ୟ ରୁ ଜଣାପଡେ ବର୍ତ୍ତମାନ ସୁଦ୍ଧା 85000 ନିର୍ମାଣ ଶ୍ରମିକ ପଞ୍ଜିକରଣ ହୋଇଛନ୍ତି | ଏହି ଅଂଚଳରୁ ଲକ୍ଷ୍ୟାଧିକ ଶ୍ରମିକ ଓ 30000 ଛୋଟ ଶିଶୁ ପିତା ମାତା ସହିତ ବାହାର ରାଜ୍ୟ କୁ କାମ କରିବା ପାଇଁ ଯାଉଛନ୍ତି ବୋଲି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଟ୍ରେଡ଼ ୟୁନିଅନ ଦାବୀ କରି ଆସୁଥିଲେ | କିନ୍ତୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏତେ ସଂଖ୍ୟା ରେ ଶ୍ରମିକ ପଳାୟନ କରୁଛନ୍ତି ବୋଲି ସ୍ୱୀକାର କରୁ ନ ଥିଲେ | ଲାକଡାଉନ ସମୟରେ ସରକାରୀ ତଥ୍ୟ ରୁ ଜଣ ପଡିଲା ବଲାଙ୍ଗୀର ଜିଲ୍ଲାକୁ ଫେରିବା ପାଇଁ 160000 ଶ୍ରମିକ ପଞ୍ଜିକରଣ କରିଥିଲେ | ଅପରପକ୍ଷେ ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗର ସୂଚନା ଅନୁସାରେ ମାତ୍ର 23000 ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ସେଥିରୁ ଇଟାଭାଟିରେ କାର୍ଯ୍ୟରତ ଶ୍ରମିକ ସଂଖ୍ୟା 11800 ବୋଲି ଦର୍ଶାଇଥିଲେ |
ଜିଲ୍ଲା ଶ୍ରମ ବିଭାଗ , ବଲାଙ୍ଗୀର ତଥ୍ୟ-:
2016 ମସିହାରେ 544 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 35397 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2017 ମସିହାରେ 582 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 37486 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2018ମସିହାରେ 545 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 34918 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2019ମସିହାରେ 379 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 25843 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2020ମସିହାରେ 49 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 2698 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |2021ମସିହାରେ 80 ଜଣ ଲେବର କଣ୍ଟାଟରଙ୍କୁ ଲାଇସେନ୍ସ ଦିଆଯାଇଥିବା ବେଳେ 8000 ଜଣ ଇଟାଭାଟି ଦାଦନ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିଲେ |
ବଲାଙ୍ଗୀର ଜିଲ୍ଲା ରେ ବିଦ୍ୟାଳୟରେ ଅଧାରୁ ପାଠପଢ଼ା ଛାଡୁ ଥିବା ଛାତ୍ର / ଛାତ୍ରୀଙ୍କ ସ୍ଥିତି ସଙ୍ଗୀନ ଅଟେ | ପ୍ରାଥମିକ ସ୍ଥରରେ 6.53%. ଉଚ୍ଚପ୍ରାଥମିକ ରେ 9.23%,ମାଧ୍ୟମିକ ରେ 4.23% ଦାଦନ ଓ ଦରିଦ୍ର ଯୋଗୁଁ ଅଧାରୁ ଛାତ୍ର ଓ ଛାତ୍ରୀମାନେ ପାଠପଢା ଛାଡ଼ୁଛନ୍ତି |
ବଲାଙ୍ଗୀର ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ତଥ୍ୟ ଅନୁସାରେ -:
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 350000 ଶ୍ରମିକ ପଞ୍ଜିକରଣ କରିଥିବାବେଳେ କୋଭିଡ ମହାମାରୀ ସମୟରେ 250000 ଶ୍ରମିକଙ୍କୁ କାମଯୋଗାଇଦିଆଯାଇଛି | ଏହି ଯୋଜନା ରେ ବର୍ଷକୁ 350 ରୁ 360 କୋଟି ଖର୍ଚ୍ଚ ହେଉଛି | ବର୍ଷକୁ ବଲାଙ୍ଗୀର ଜିଲ୍ଲାରେ ସରକାରୀ ଆନୁଦାନ 3000 କୋଟି ଖର୍ଚ୍ଚ ହେଉଅଛି | ଏଥିରୁ 20% ଭାଗ ଶ୍ରମିକଙ୍କ ପାଖକୁ ଆସୁନାହିଁ |ଏହି ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଖପ୍ରାଖୋଲ , ବେଲପଡା , ପାଟଣାଗଡ , ତୁରେକେଲା , ମୁରିବାହାଲ , ବଙ୍ଗୋମୁଣ୍ଡା , ଟିଟିଲାଗଡ ମାନଙ୍କରେ ଶ୍ରମିକ ଅଧିକାର ମଂଚ କାର୍ଯ୍ୟରତ | ଶ୍ରମିକମାନଂକର ନ୍ୟାର୍ଯ୍ୟ ଅଧିକାର ଓ ଶ୍ରମ ଆଇନ ସମ୍ପର୍କିତ ସଚେତନତା ପାଇଁ ସଂକଳ୍ପବଦ୍ଧ ଅଟେ |
ଭାରତ ର ସମ୍ବିଧାନ ର ଧାରା 23 ମାନବ ଚାଲାଣ ଏଵଂ ବାଧ୍ୟ ବାଧ୍ୟକତା କାମକରାଇବା ଏକ ଦଣ୍ଡନୀୟ ଅପରାଧ ଅଟେ |କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଖୋଲାଖୋଲି ଭାବରେ ଉଲ୍ଲଘଂନ କରାଯାଇ ବେଆଇନ ମାନବ ଚାଲାଣ କରାଯାଉଅଛି | ସମ୍ବିଧାନର ଧାରା 19 ଓ 21 ଅନୁଯାୟୀ ସମଗ୍ର ଭାରତରେ ମୁକ୍ତଭାବେ ବିଚରଣ , ବସବାସ , ଜୀବିକା ନିର୍ବାହ କରି ବଂଚିବାର ଅଧିକାର ଦେଇଅଛି |ଭାରତର ଯେକୌଣସି ରାଜ୍ୟକୁ ଯାଇ କାମ କରି ପାରିବୁ | କେହି ବାଧା ଦେଇପାରିବେ ନାହିଁ |ଏହା ଆମର ସାମ୍ବିଧାନିକ ଅଧିକାର |